ବିଳାସ ସାମଗ୍ରୀ ବର୍ଗରୁ ବାଦ ପଡ଼ିବ – କମିବ ଟିକସ : ଶସ୍ତା ହୋଇପାରେ ମୋଟର ସାଇକେଲ, ମୋପେଡ଼, ସ୍କୁଟର

0 220
greentech

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସୂଚନା : ଅର୍ଥନୀତିରେ ସୁଧାର ଆଣିବା ପାଇଁ ସରକାର ଦୁଇଚକିଆ ଯାନ ଉପରୁ ଟିକସ କମାଇ ପାରନ୍ତି ।

ନୂଆଦିଲ୍ଲୀ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୭/୦୮: ଦୁଇଚକିଆ ଯାନ ଉପରେ କମିପାରେ ଟିକସ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବକ୍ତବ୍ୟରୁ ଏ ସମ୍ପର୍କରେ ସଙ୍କେତ ମିଳିଛି । ବର୍ତମାନ ଦୁଇ ଚକିଆ ଗାଡ଼ି ଉପରେ ୨୮% ଟିକସ ଲାଗୁଛି । ମାତ୍ର ଏହାକୁହ୍ରାସ କରିବାକୁ ବିଚାରବିମର୍ଷ ଚାଲିଛି । ବିଳାସ ସାମଗ୍ରୀଗୁଡ଼ିକ ଉପରେ ୨୮% ପର୍ଯ୍ୟନ୍ତ ଟିକସ ବ୍ୟବସ୍ଥା ରହିଛି । ମାତ୍ର ଦୁଇ ଚକିଆ ଗାଡ଼ି ବିଳାସ ସାମଗ୍ରୀ ହୋଇନ ଥିବାରୁ ଏହା ଉପରେ ଜିଏସଟି ହ୍ରାସ କରାଯାଇପାରେ । କିଛି ଶିଳ୍ପପତିଙ୍କ ସହ ମଙ୍ଗଳବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଲୋଚନା ସମୟରେ ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ।

ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୧୫୦ ସିସି ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକୁ ୧୮% ଜିଏସଟି ବର୍ଗରେ ଅଣାଯାଇପାରେ । ଯାହା ଫଳରେ ଦୁଇଚକିଆ ଯାନର ମୂଲ୍ୟ ହ୍ରାସ ପାଇବ ଓ ବିକ୍ରି ବୃଦ୍ଧି ପାଇବ । ଏଏମ୍ଆରଜି ଏଣ୍ଡ ଆସୋସିଏଟ୍ସ ର ରଜତ ମୋହନଙ୍କ ସୂଚନା ଅନୁସାରେ ମୋଟର ସାଇକେଲ, ମୋପେଡ଼ ଆଦି ଉପରେ ୨୮% ଟିକସ ଲାଗୁଛି । ଏହା ଜିଏସଟିର ସର୍ବୋଚ୍ଚ ଟିକସ ବର୍ଗରେ ଅନ୍ତର୍ଭୁକ୍ତ । ଦେଶରେ ଲକ୍ଷଲକ୍ଷ ମଧ୍ୟମ ଓ ନିମ୍ନ ଆୟ ବର୍ଗର ଲୋକ ନିଜ ପରିବାର ନିମନ୍ତେ ଦୁଇ ଚକିଆ ଯାନକୁ ପରିବହନର ମାଧ୍ୟମ ଭାବରେ ବ୍ୟବହାର କରିଥାଆନ୍ତି । ଏହା ବିଳାସ ସାମଗ୍ରୀ ହୋଇ ରହିନାହିଁ, ଏକ ଅନିବାର୍ଯ୍ୟ ଆବଶ୍ୟକତା ପାଲଟିଛି । ତେଣୁ ତମାଖୁ, ସିଗାରେଟ, ପିସ୍ତଲ, ରେସିଂ କାର, ବ୍ୟକ୍ତିଗତ ବିମାନ ପରି ବର୍ଗରେ ମୋଟର ସାଇକେଲକୁ ରଖିବା ଅନୁଚିତ ବୋଲି ରଜତ ମୋହନ କହିଛନ୍ତି ।

ସିଆଇଆଇ ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଅର୍ଥ ମନ୍ତ୍ରଣାଳୟ ଦ୍ବାରା ଏ ସମ୍ପର୍କରେ ଜିଏସଟି କାଉନସିଲରେ ସଂଶୋଧନ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ଦୁଇ ଚକିଆ ଗାଡ଼ି ଉପରେ ଜିଏସଟି ହ୍ରାସର ଆବଶ୍ୟକତା ସଂକ୍ରାନ୍ତ ଏକ ପ୍ରଶ୍ନରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବାସ୍ତବରେ ଏହା ଏକ ଭଲ ପ୍ରସ୍ତାବ । ଦୁଇ ଚକିଆ ଯାନ ନାଁ ‘‘ସିନ୍ ଗୁଡ଼୍ସ’’ (“ସ୍ବାସ୍ଥ୍ୟପ୍ରତି ଅହିତକର’’) ବର୍ଗରେ ଆସୁଛି ନାଁ ବିଳାସ ସାମଗ୍ରୀ ବର୍ଗରେ ଆସୁଛି । ତେଣୁ ଏହାଉପରେ ଜିଏସଟି ହ୍ରାସ ନେଇ ବିଚାର କରାଯାଇପାରେ । ଏହି ପ୍ରସଙ୍ଗ ଜିଏସଟି କାଉନସିଲରେ ଉଠାଯିବ ବୋଲି ମଧ୍ୟ ସୀତାରମଣ ଆଶ୍ବାସନା ଦେଇଛନ୍ତି ।

Leave A Reply

Your email address will not be published.

thirteen + 11 =

error: Content is protected !!
Open chat