ମହିମା ମଣ୍ଡିତ “ବାବାମଣି” : ଅଲୌକିକ ସେ ପୀଠ ‘ଆରଡ଼ି ଧାମ’

0 470
greentech

ଆରଡି ରୁୁ ସ୍ୱତନ୍ତ୍ର ଉପସ୍ଥାପନା, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୦୩/୦୮ : ଆଖଣ୍ଡଳମଣି ଓଡ଼ିଶାର ଭଦ୍ରକ ଜିଲ୍ଲାର ଆରଡିଠାରେ ଅବସ୍ଥିତ ଏକ ପ୍ରଧାନ ଶୈବ ପୀଠ । ଏହା ବୈତରଣୀ ନଦୀ କୂଳରେ ଆରଡ଼ି ଠାରେ ଓ ଭଦ୍ରକ ସହର ଠାରୁ ୪୦ କି.ମି. ଦୂରରେ ଅବସ୍ଥିତ । ବୈତରଣୀ ଓ ସାଳନ୍ଦୀ ନଦୀଦ୍ଵୟର ସଙ୍ଗମସ୍ଥଳରେ ଆଖଣ୍ଡଳେଶ୍ବର ବା ଆଖଣ୍ଡଳମଣି ବା ବାବାମଣିଙ୍କ ମନ୍ଦିର ଅବସ୍ଥିତ ।

କିମ୍ବଦନ୍ତୀ କହେ, ତତ୍କାଳିନ ଜମିଦାର ନିଳାଦ୍ରୀ ସମରସିଂହ ଦିନେ ନିଜ ଜମିରେ ହଳ କରିବା ନିମନ୍ତେ ଅନନ୍ତ ନାମକ ଜଣେ ହଳୁଆକୁ ନିର୍ଦ୍ଦେଶ ଦେଇଥିଲେ । ଅନନ୍ତ କିଛି ସମୟ ହଳ ବୁଲାଇବା ପରେ ହଠାତ ଲଙ୍ଗଳ ମୁନଟି ମାଟିତଳେ ଥିବା ଏକ ବସ୍ତୁରେ ବାଜି ଭାଙ୍ଗି ଯାଇଥିଲା । ଆତଙ୍କିତ ଅନନ୍ତ ବସ୍ତୁଟିର ଚାରିକଡ଼ର ମାଟି ଆଡ଼େଇ ଆଡ଼େଇ ଥକି ପଡ଼ିବାରୁ ଜମିଦାରଙ୍କୁ ଯାଇ ସମସ୍ତ ବୃତ୍ତାନ୍ତ ଜଣାଇଲା । ଜମିଦାର ସମରସିଂହ କିଛି ଗ୍ରାମବାସୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚି ସେଠାକାର ପାରିପାର୍ଶ୍ଵିକ ଅବସ୍ଥା ତଥା ନିକଟସ୍ଥ ଉଇହୁଙ୍କାରେ ସର୍ପମାନଙ୍କ ବାସସ୍ଥାନ, ଶ୍ମଶାନ, ଦୁଦୁରା ବଣ ଓ ଦୁଇଟି ନଦୀର ସଙ୍ଗମସ୍ଥଳ ଦେଖି ପ୍ରଭୁଙ୍କର ଆବିର୍ଭାବ ଘଟିଥିବା ଅନୁମାନ କଲେ । ଖଣ୍ଡମଣ୍ଡଳର ଇଶ୍ଵର ଭାବରେ ମହାପ୍ରଭୁ ଆଖଣ୍ଡଳେଶ୍ଵର ବା ଆଖଣ୍ଡଳମଣି ବା ବାବାମଣି ଭାବେ ସର୍ବଜନବିଦିତ ହେଲେ ।

ଗମନାଗମନ ପାଇଁ ଏଠାକୁ ଚାନ୍ଦବାଲିଠାରୁ ବୈତରଣୀ ନଦୀରେ ଡଙ୍ଗା ଯୋଗେ ଯିବାଆସିବ ସମ୍ଭବ । ଚାନ୍ଦବାଲିଠାରୁ ଆରଡ଼ିକୁ ଡଙ୍ଗାରେ ୨ ଘଣ୍ଟା ଲାଗେ । ଭୁବନେଶ୍ଵର ଠାରୁ ବସ୍ ରେ ମଧ୍ୟ ଯାଈ ପାରିବେ ।

ଜମିଦାର ନିଳାଦ୍ରୀ ସମରସିଂହ ପ୍ରଥମେ ଆଖଣ୍ଡଳମଣିଙ୍କ ନିମନ୍ତେ ଏକ ଅସ୍ଥାୟୀ କୋଠାଟିଏ ନିର୍ମାଣ କରି ପୂଜାର୍ଚ୍ଚନାର ବନ୍ଦୋବସ୍ତ କରିଥିଲେ । ପରେ କନିକାର ରାଜା ହରିହର ଭଞ୍ଜ ଓ ରାଣୀ ସତ୍ୟବତୀ ସେହି ସ୍ଥାନରେ ବର୍ତ୍ତମାନର ମନ୍ଦିରଟିକୁ ତୋଳାଇଥିଲେ । ଶୁଭ୍ରବର୍ଣ୍ଣର ଏହି ମନ୍ଦିରଟିର ଉଚ୍ଚତା ୫୧ଫୁଟ । ପ୍ରବେଶ ଓ ପ୍ରସ୍ଥାନ ନିମିତ୍ତ ଚାରିପଟେ ଚାରୋଟି ଦ୍ଵାର ରହିଛି । ମନ୍ଦିର ନିକଟରେ ଗୋଟିଏ ପୁଷ୍କରିଣୀ ଅଛି । ମନ୍ଦିର ମୁଖଶାଳାଟି ଶ୍ରୀ ନରସିଂହ ଦେବ ନାମକ ଜଣେ ଋଷିଙ୍କ ଦ୍ଵାରା ତିଆରି କରାଯାଇଥିଲା । ପରେ ଏହା ଓଡ଼ିଶା ସରକାରଙ୍କ ଦ୍ଵାରା ପୁରାପୁରି ତିଆରି କରାଗଲା ।

ବାବାମଣିଙ୍କ ଚରଣାମୃତ ବା ପାଦୁକାରେ ବିଭିନ୍ନ ରୋଗ ବୈରାଗ୍ୟ ମଧ୍ୟ ଭଲ ହୋଇଥାଏ ଏବଂ ଏଠାକାର ଘର୍ଷଣ ରେ ମଧ୍ୟ ବହୁତ ସ୍ଥାନରେ ଔଷଧ ଭଳି ମଧ୍ୟ କାର୍ଯ୍ୟ କରିଥାଏ । ବାବାମଣି ଙ୍କ ପାଦୁକାର ବହୁତ ଆଶ୍ଚର୍ଯ୍ଯ ଚକିତ ମହିମା ରହିଛି। ରାଜ୍ୟ ର ବିଭିନ୍ନ ସ୍ଥାନରୁ ଲୋକମାନେ ଏହି ପାଦୁକା ପାଇବାକୁ ଆସିଥାନ୍ତି ।

ବାବା ଆଖଣ୍ଡଳମଣି ଦିନ ତମାମ ମନ୍ଦିରରେ ଭକ୍ତମାନଙ୍କୁ ବିଭିନ୍ନ ବେଶରେ ଦର୍ଶନ ଦେଇଥାଆନ୍ତି । ପ୍ରତିଦିନ ବାବା ଆଖଣ୍ଡଳମଣିଙ୍କର ଭୋର ୪ଟାରେ ପ୍ରଥମେ ମଙ୍ଗଳ ଆଳତି ହୋଇ ପହିଲି ଘର୍ଷଣ ଏବଂ ଜଳ ଲାଗି କରାଯାଏ । ତାହାପରେ ବାବାମଣି ସକାଳ ୭ ଟାରେ ରାଜରଜେଶ୍ୱର ବେଶରେ ଦର୍ଶନ ଦିଅନ୍ତି ଏବଂ ତାହାପରେ ବଡଭୋଗ ଲାଗି କରାଯାଏ । ସକାଳ ୧୦ଟାରେ ବାବାମଣିଙ୍କର ପହଡିକା ଭୋଗ ଲାଗି ହୋଇ ମଧ୍ୟାହ୍ନ ୧୨ଟାରେ ବାବା ଆଖଣ୍ଡଳମଣିଙ୍କର ଯୋଗୀବେଶ କରାଯାଏ । ଦିନ ଗୋଟାଏ ବେଳେ ନୀତି ଭୋଗ କରାଯାଏ

ଅପରାହ୍ନ ୪ ଟା ବେଳେ ବାବମଣିଙ୍କର ବଡ଼ସିଂହାର ବେଶ ଦର୍ଶନ କରାଯାଏ, ସନ୍ଧ୍ୟା ୬ ଟାରେ ସନ୍ଧ୍ୟା ଆଳତି ସହ ସନ୍ଧ୍ୟା ଭୋଗ କରାଯାଏ, ରାତି ୧୦ ଟାରେ ଦହି ପଖାଳ ଭୋଗ ଲାଗେ, ରାତି ୧୦.୩୦ ରେ ପହଡ଼ ପଡେ। ମନ୍ଦିର ଚାରିପାଖରେ ୬ ଜଣ ପାର୍ଶ୍ୱ ଦେବା-ଦେବୀ ଯଥା, ପାଦୁକା କୁଣ୍ଡ ପାଖରେ ମା ଦୁର୍ଗା, କାର୍ତ୍ତିକେଶ୍ୱର, ଶ୍ରାବଣୀ ମହାଦେବୀ, ଗଣେଷ, ମା କାଳୀ, ହନୁମାନ ଆଦି ଦେବା-ଦେବୀ ଗଣ ଯଥା ବିଧି ପୂଜିତ ହେଉଛନ୍ତି ।

Leave A Reply

Your email address will not be published.

sixteen + thirteen =

error: Content is protected !!
Open chat