ସାଂଘାତିକ ସ୍ଥିତିରେ ରାଜଧାନୀ : ୪ ଦିନରେ ସ୍ଥାନୀୟ ସଂକ୍ରମଣ ୨୬%ରୁ ବଢ଼ି ପହଞ୍ଚିଲା ୪୪%ରେ

0 460
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୦୧/୦୮:ଭୁବନେଶ୍ୱର : ରାଜଧାନୀରେ ସାଂଘାତିକ ପରିସ୍ଥିତିରେ ପହଞ୍ଚିଲାଣି ସ୍ଥାନୀୟ ସଂକ୍ରମଣ। ଗତ ୩ ଦିନର ସ୍ଥାନୀୟ ସଂକ୍ରମଣକୁ ଅନୁଧ୍ୟାନ କଲେ ଏଭଳି ପରିସ୍ଥିତି ଜଳ ଜଳ ହୋଇ ଦେଖାଗଲାଣି। ୨୭ତାରିଖରେ ରାଜଧାନୀରେ ଯେତିକି ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ତାହାର ୨୬ ପ୍ରତିଶତ ଥିଲେ ସ୍ଥାନୀୟ ସଂକ୍ରମିତ। ମାତ୍ର ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସ୍ଥାନୀୟ ସଂକ୍ରମିତଙ୍କ ହାର ରହିଛି ୪୪ ପ୍ରତିଶତ। ଦୁଇ ଦିନରେ ୧୮ ପ୍ରତିଶତ ବୃଦ୍ଧି ହୋଇଛି। ପ୍ରତ୍ୟେକ ଦିନ ପୁଳା ପୁଳା ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହେବା ଲୋକମାନଙ୍କ ଭିତରେ ଆତଙ୍କ ଖେଳାଇ ଦେଲାଣି।

ଗତ ୨୬ତାରିଖରେ ସ୍ଥାନୀୟ ସଂକ୍ରମଣ ୩୬ ପ୍ରତିଶତ ଥିବା ବେଳେ ୨୭ତାରିଖରେ ୨୬ ପ୍ରତିଶତ, ୨୮ ତାରିଖରେ ୩୦ ପ୍ରତିଶତ, ୨୯ ତାରିଖରେ ୨୮ ପ୍ରତିଶତ ଓ ୩୦ ତାରିଖରେ ୪୪ ପ୍ରତିଶତରେ ପହଞ୍ଚି ଯାଇଛି। କୋଭିଡ୍‌ ନିୟନ୍ତ୍ରଣ ନେଇ ବିଏମ୍‌ସି ପକ୍ଷରୁ ବହୁ ପଦକ୍ଷେପ ଗ୍ରହଣ କରାଯାଉଥିଲେ ହେଁ, ଏହା ସଂକ୍ରମଣକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରି ନାହିଁ। ବିଶେଷକରି ଚଳିତ ମାସରେ ରୋଗୀଙ୍କ ସଂଖ୍ୟା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି।

ଗତ ୨୪ଘଣ୍ଟାରେ ରାଜଧାନୀରେ ୧୦୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରେ ୫୯ଜଣ ସଙ୍ଗରୋଧରୁ ଓ ୪୬ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଫଳରେ ରାଜଧାନୀରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୭ରେ ପହଞ୍ଚିଛି। ନୂଆପଲ୍ଲୀ ନୂଆସାହିରୁ ୯ଜଣ, ସହିଦନଗରରୁ ୬ଜଣ, ନୂଆପଲ୍ଲୀରୁ ୬ଜଣ, ଆଇଆରସି ଭିଲେଜ ଏନ୍‌-୪ରୁ ୩, ନ୍ୟୁ ଫରେଷ୍ଟ ପାର୍କରୁ ୩ଜଣ, ବିଶ୍ବେଶ୍ବରୀ ବସ୍ତିରୁ ୩, ୟୁନିଟ୍‌-୧ ମାର୍କେଟ୍‌ ନିକଟରୁ ୩ଜଣ ଓ ଅନ୍ୟ ଅଞ୍ଚଳରୁ ଏକାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଏକାଧିକ ଘରୋଇ ହସ୍ପିଟାଲର କର୍ମଚାରୀ ରହିଛନ୍ତି। ରାଜଧାନୀରେ ୩୦ ଦିନରେ ୨୨୭୫ଜଣ ପଜିଟିଭ୍ ଚିହ୍ନଟ ହୋଇ ସାରିଲେଣି। ଏ ପର୍ଯ୍ୟନ୍ତ ୧୩୩୯ଜଣ ରୋଗୀ ସୁସ୍ଥ ହୋଇଥିବା ବେଳେ ୧୨୫୧ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଛନ୍ତି।

ରହସ୍ୟରେ ସୁସ୍ଥ ସଂଖ୍ୟା
ବିଏମ୍‌ସି ପକ୍ଷରୁ ପ୍ରତ୍ୟେକ ଦିନ ରାଜଧାନୀରେ କେତେ ସଂଖ୍ୟକ ରୋଗୀ ଚିହ୍ନଟ ଓ ସୁସ୍ଥ ହେଉଛନ୍ତି ତାହାର ତାଲିକା ପ୍ରଦାନ କରାଯାଉଛି। ଆଜି ବିଏମ୍‌ସି ପକ୍ଷରୁ ୧୦୫ଜଣ ପଜିଟିଭ୍ ଓ ୧୨୩ଜଣ ସୁସ୍ଥ ହୋଇଥିବା ସୂଚନା ଦିଆଯାଇଛି। ତେବେ ସୁସ୍ଥ ସଂଖ୍ୟାକୁ ନେଇ ରହସ୍ୟ ବଢ଼ିଛି। ସୁସ୍ଥ ତାଲିକାରେ ମହିଷାଖାଲ ହରିନଗରର ୩୮ଜଣ ରୋଗୀ ରହିଛନ୍ତି। ଗତ ଦୁଇ ଦିନରେ ଖୋର୍ଧା ଜିଲ୍ଲାରେ ସମୁଦାୟ ୧୨୬ଜଣ ରୋଗୀ ସୁସ୍ଥ ହୋଇଛନ୍ତି। ଗତକାଲି ୧୧୪ଜଣଙ୍କ ମଧ୍ୟରୁ ୪୪ଜଣ ବିଏମ୍‌ସି ବାହାର ଅଞ୍ଚଳର ହୋଇଥିବା ଖୋର୍ଧା ଜିଲ୍ଲାପାଳ ଟ୍ବିଟ୍‌ରେ ସୂଚନା ଦେଇଛନ୍ତି। ଅର୍ଥାତ୍ ବିଏମ୍‌ସି ଅଞ୍ଚଳରୁ କେବଳ ୭୦ଜଣ ରହିଛନ୍ତି। ଆଜି ଖୋର୍ଧା ଜିଲ୍ଲାରେ ୧୨ଜଣ ସୁସ୍ଥ ହୋଇଛନ୍ତି। ବିଏମ୍‌ସି ପକ୍ଷରୁ ଆଜି ୧୨୩ଜଣଙ୍କ ସୁସ୍ଥ ହୋଇଥିବା ସଂପର୍କରେ ସୂଚନା ଦିଆଯାଇଛି। ଗତକାଲିର ବିଏମ୍‌ସି ଅଞ୍ଚଳର ସଂଖ୍ୟା ଓ ଆଜିର ଖୋର୍ଧା ଜିଲ୍ଲାର ସଂଖ୍ୟାକୁ ମିଶାଇଲେ ମଧ୍ୟ ବିଏମ୍‌ସିର ୧୨୩ ସଂଖ୍ୟାଠାରୁ କମ୍ ହେଉଛି। ତେଣୁ ପ୍ରକୃତରେ ସୁସ୍ଥ ହୋଇଥିବା ରୋଗୀମାନେ କେଉଁ ଦିନର ତାହା ରହସ୍ୟ ପାଲଟିଛି।

Leave A Reply

Your email address will not be published.

nineteen − ten =

error: Content is protected !!
Open chat