ୟୁଜି, ପିଜି ପରୀକ୍ଷାକୁ ନେଇ କେନ୍ଦ୍ର-ରାଜ୍ୟ ମଧ୍ୟରେ ବିବାଦ

0 408
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୩/୦୭: ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ପରୀକ୍ଷା ହେବ ନା ନାହିଁ। ଯଦି ହୁଏ, କେବେ କରାଯିବ। ସେପ୍ଟେମ୍ବର ମଧ୍ୟରେ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ଗତ ୬ ତାରିଖରେ ବିଜ୍ଞପ୍ତି ଜାରି କରାଯାଇଛି। ଯାହାକୁ ନେଇ ଓଡ଼ିଶା ସମେତ ୫ରୁ ଅଧିକ ରାଜ୍ୟ ପ୍ରତିବାଦ କରିଛନ୍ତି। କରୋନା ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଗୁରୁତ୍ୱ ଦେଇ ପରୀକ୍ଷା ବାତିଲ କରିବାକୁ ବିଭିନ୍ନ ଆଡ଼ୁ ଦାବି ହୋଇଛି। ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଦିଲ୍ଲୀ ସରକାର ଇତିମଧ୍ୟରେ ଉଭୟ ୟୁଜି ଓ ପିଜି ପରୀକ୍ଷାକୁ ବାତିଲ କରି ଏ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବି ଅବଗତ କରିଛନ୍ତି। ତେଣୁ ଯଦି ପରୀକ୍ଷା କରାଯାଏ, ତେବେ ତାହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିବ। ଭଲ ମାର୍କ ରଖିପାରିବେ ନାହିଁ। ଏଭଳି ଆଶଙ୍କା ପ୍ରକାଶ କରି ପରୀକ୍ଷା ନ କରିବାକୁ ରାଜ୍ୟଗୁଡ଼ିକ ଯୁକ୍ତି ବାଢ଼ୁଛନ୍ତି।

ଅଖିଳ ଭାରତୀୟ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଶିକ୍ଷକ ମହାସଂଘ ସାଧାରଣ ସମ୍ପାଦକ ଅରୁଣ କୁମାର କହିଛନ୍ତି ଯେ ୟୁଜିସିର ଏଭଳି ଏକତରଫା ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ବିରୋଧୀ। ଏ ପର୍ଯ୍ୟନ୍ତ କରୋନା ସ୍ଥିତିରେ ସୁଧାର ଆସିନି। ପରୀକ୍ଷା ଲାଗି ଭିତ୍ତିଭୂମି ଠିକ୍‌ ନାହିଁ। କେତେକ ମହାବିଦ୍ୟାଳୟରେ ସଙ୍ଗରୋଧ କେନ୍ଦ୍ର ହୋଇଛି। ନିଷ୍ପତ୍ତି ନେବା ପୂର୍ବରୁ ଏହି ସବୁ ବିଷୟକୁ ବିଚାର କରିବାର ଥିଲା। ଯେଉଁ ବିଶେଷଜ୍ଞ କମିଟି ପରୀକ୍ଷା କରାଇବାକୁ ପ୍ରସ୍ତାବ ଦେଇଛନ୍ତି, ସେମାନେ ତୃଣମୂଳସ୍ତରର ବାସ୍ତବ ସ୍ଥିତି ଅନୁଧ୍ୟାନ ନ କରି ନିଷ୍ପତ୍ତି ନେଇଛନ୍ତି। ପିଲାଙ୍କ ପାଠପଢ଼ା ସହ ଜଡ଼ିତ କୌଣସି ସଂଗଠନ, ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ନ କରି ନିଷ୍ପତ୍ତି ହୋଇଛି। ପରୀକ୍ଷା କରିବା ବଦଳରେ ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ପରୀକ୍ଷା ମାର୍କ, ପ୍ରୋଜେକ୍ଟ ମାର୍କ, ପ୍ରାକ୍ଟିକାଲ ମାର୍କକୁ ଆଧାର କରି ପରୀକ୍ଷା ଫଳ ପ୍ରକାଶ କରାଯାଉ। ଏନେଇ ମହାସଂଘ ପକ୍ଷରୁ ୟୁଜିସି ଓ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ପରୀକ୍ଷା ହେବା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ”ନିଶଙ୍କ”। ଗତକାଲି ମନ୍ତ୍ରୀ ଶ୍ରୀ ପୋଖରିଆଲ ଟ୍ୱିଟ୍‌ କରି କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସେପ୍ଟେମ୍ବରରେ ହୋଇ ନପାରିଲେ ପରେ କରାଯାଉ। ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ, ସୁରକ୍ଷା ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏଥିସହ ସେମାନଙ୍କ ଭବିଷ୍ୟତକୁ ବି ଦେଖିବାକୁ ପଡ଼ିବ। ମନ୍ତ୍ରୀଙ୍କ ଏଭଳି ଟ୍ବିଟ୍‌ ପରେ ପରୀକ୍ଷା କରିବା ସପକ୍ଷରେ କେନ୍ଦ୍ର ସରକାର ଥିବା ସ୍ପଷ୍ଟ ହୋଇଛି। ତେବେ ଦିଲ୍ଲୀ, ପଶ୍ଚିମବଙ୍ଗ, ଓଡ଼ିଶା ସରକାର ଖୋଲାଖୋଲି ଭାବେ କେନ୍ଦ୍ର ସରକାରଙ୍କ ପରୀକ୍ଷା ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ୫ ଦିନ ହେଲା ପ୍ରଧାନମନ୍ତ୍ରୀ, କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଆଲୋଚନା ମଧ୍ୟ କରିଛନ୍ତି। ଓଡ଼ିଶାର ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସଚିବ ଶାଶ୍ୱତ ମିଶ୍ର ଇତିମଧ୍ୟରେ ଚିଠି ଲେଖି ପରୀକ୍ଷା ନ କରିବାକୁ ଅନୁରୋଧ କରିଛନ୍ତି।

ତେବେ ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଭିନ୍ନ ଆଡୁ ବିରୋଧ ହେବା ପରେ ଆସନ୍ତା ସପ୍ତାହରେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅଧିକାରୀମାନେ ରାଜ୍ୟଗୁଡ଼ିକର ଶିକ୍ଷା ସଚିବଙ୍କ ସହ ଆଲୋଚନା କରିବ‌େ। ଏହାପରେ ଶିକ୍ଷାବିତ୍‌, ବିଶେଷଜ୍ଞ, ପ୍ରମୁଖ ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ସହ ମଧ୍ୟ ବିଚାରବିମର୍ଶ କରାଯାଇ ନିଷ୍ପତ୍ତିର ପୁନର୍ବିଚାର କରାଯାଇପାରେ।

Leave A Reply

Your email address will not be published.

2 × 4 =

error: Content is protected !!
Open chat