କରୋନା ଲକ୍‌ଡାଉନ୍‌ ପାଇଁଁ ବେକାରି ହାର ଚିନ୍ତାଜନକ : ସହରକୁ ଯିବ ମନରେଗା

0 407
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : କେନ୍ଦ୍ର ସରକାର ନିଜର ରୋଜଗାର କାର୍ଯ୍ୟକ୍ରମ ମନରେଗା(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା)କୁ ଗାଁ ସହିତ ସହରକୁ ନେବା ପାଇଁ ଯୋଜନା କରୁଛନ୍ତି । ଏହି ଯୋଜନା ଅଧୀନରେ ସହରରେ ସେଇମାନଙ୍କୁ ନିଯୁକ୍ତି ମିଳିବ, ଯେଉଁମାନେ କରୋନା ଲକ୍‌ଡାଉନ୍‌ ଯୋଗୁ ଜୀବିକା ହରାଇଛନ୍ତି । ଯଦି ଏ ଯୋଜନା କାର୍ଯ୍ୟକାରୀ ହୁଏ ତା’ହେଲେ ସହରରେ ବୃହତ୍‌ ଭାଗ ଲୋକଙ୍କୁ ରୋଜଗାର ମିଳିବ ।

ସୂତ୍ରରୁ ଜଣାଯାଇଛି ଯେ, ଏହି ରୋଜଗାର କାର୍ଯ୍ୟକ୍ରମକୁ ପ୍ରଥମେ କ୍ଷୁଦ୍ର ସହରରେ କାର୍ଯ୍ୟକାରୀ କରାଯିବ । ସାଧାରଣତଃ ବଡ଼ ସହରରେ କୁଶଳୀ କାରିଗରଙ୍କ ଆବଶ୍ୟକତା ଅଧିକ ରହିଥାଏ କିନ୍ତୁ ଛୋଟ ସହରରେ ଦିନ ମଜୁରିଆଙ୍କ ଆବଶ୍ୟକତା ଢ଼େର ଥାଏ । ଏହାକୁ ଦୃଷ୍ଟିରେ ରଖି ପ୍ରଥମେ କ୍ଷୁଦ୍ର ସହରରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଯୋଜନା କରାଯାଇଛି । ପ୍ରଥମିକ ଭାବେ ଏଥିପାଇଁ ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଗୃହନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟର ଅନ୍ୟତମ ଯୁଗ୍ମ ସଚିବ ସଞ୍ଜୟ କୁମାର ପ୍ରକାଶ କରିଛନ୍ତି । ଗତବର୍ଷରୁ ସରକାର ଏ ଯୋଜନା ଉପରେ ବିଚାର କରି ଆସୁଥିଲେ । କରୋନା ଯୋଗୁ ଆଲୋଚନାକୁ ସ୍ଥଗିତ ରଖାଯାଇଥିଲା ବୋଲି କୁମାର କହିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଏ ବର୍ଷ ମନରେଗା ଅଧୀନରେ ୧ ଲକ୍ଷ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଖର୍ଚ୍ଚ କରିସାରିଛନ୍ତି । ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ମଜୁରିଆମାନେ ଦିନକୁ ଅତିକମ୍‌ରେ ୨୦୨ ଟଙ୍କା ମଜୁରି ପାଉଛନ୍ତି । ବର୍ଷରେ ଅତିକମ୍‌ରେ ୧୦୦ ଦିନର କାମ ସେମାନଙ୍କୁ ମିଳିଥାଏ । ସହରରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ଦ୍ୱାରା କରୋନା ଯୋଗୁ ଜୀବିକା ହରାଇଥିବା ଲୋକେ ଉପକୃତ ହେବେ । ସେମାନଙ୍କୁ ରୋଜଗାର ମିଳିବ ।
ମନରେଗାରେ ଯେଉଁ କାର୍ଯ୍ୟ ମିଳିଥାଏ, ସେଥିମଧ୍ୟରୁ ଅଧିକାଂଶ ଏଭଳି କାମ ଥାଏ ଯେଉଁଥିପାଇଁ ତାଲିମର ଆବଶ୍ୟକତା ନ ଥାଏ । ଏଥିମଧ୍ୟରେ କେତେକ କାର୍ଯ୍ୟ ହେଉଛି ସଡ଼କ ନିର୍ମାଣ, ପୋଖରୀ କିମ୍ବା ନଳକୂପ ଖନନ ଏବଂ ଏଭଳି କେତେକ କାର୍ଯ୍ୟ ଯେଉଁଥିରେ ଦିନ ମଜୁରିଆଙ୍କ ଆବଶ୍ୟକତା ରହିଥାଏ । ଏହା ଅଧୀନରେ ଏବେ ଦେଶର ୨୭ କୋଟି ଲୋକଙ୍କୁ ରୋଜଗାର ମିଳୁଛି । ଏଥିମଧ୍ୟରୁ ଅଧିକାଂଶ ଏପରି ଅଛନ୍ତି ଯେଉଁମାନେ କରୋନା ଯୋଗୁ ସହରରୁ ନିଜ ଭିଟାମାଟିକୁ ଫେରି ଆସିଛନ୍ତି ।

କୋଭିଡ୍‌-୧୯ ସହରୀ ବାସିନ୍ଦାଙ୍କ ଉପରେ ଭୟଙ୍କର ପ୍ରଭାବ ପକାଇଛି । ଅନେକ ଲୋକ ଜୀବିକା ହରାଇଛନ୍ତି । ଏପ୍ରିଲରେ ୧୨.୧ କୋଟି ଲୋକଙ୍କ ଜୀବିକା ଚାଲିଗଲା । ଦେଶର ବେକାରି ହାର ବଢ଼ି ୨୩% ହୋଇଗଲା । ତେବେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହେବା ପରଠାରୁ ଏଥିରେ ସାମାନ୍ୟ ସୁଧାର ଘଟିଛି । ତଥାପି ସ୍ଥିତି ଖରାପ ରହିଛି । ଅର୍ଥନୀତିଜ୍ଞଙ୍କ ମତରେ ସହରରେ ମନରେଗା ଚାଲୁ ହେବା ଦ୍ୱାରା ଅର୍ଥବ୍ୟବସ୍ଥା ପୁଣି ଦୌଡିବ । ବେକାରି ହୋଇ ଯାଇଥିବା ଲୋକଙ୍କୁ ରୋଜଗାରର ଉତ୍ସ ମିଳିବ । ଏବେ ବି ଆର୍ଥିକ ଗତିବିଧିରେ ସୁଧାର ଆସିନାହିଁ । ଗାଁରୁ ସହରକୁ ଆସୁଥିବା ଲୋକେ ଏବେ କାମ ଖୋଜିବାରେ ଲାଗିଛନ୍ତି ।


ଇତିମଧ୍ୟରେ ଭାରତୀୟ ଅର୍ଥନୀତିକୁ ଜିଡିପି ଆକାରରେ ବଡ଼ ଝଟ୍‌କା ମିଳିଛି । ଏସିଆର ତୃତୀୟ ବୃହତ୍‌ ଅର୍ଥନୀତିରେ ଐତିହାସିକ ହ୍ରାସ ଦେଖାଦେଇଛି । ଚଳିତ ଆର୍ଥିକବର୍ଷର ପ୍ରଥମ ତ୍ରୟମାସରେ ଭାରତୀୟ ଅର୍ଥନୀତି ୨୩.୯% ସଙ୍କୁଚିତ ହୋଇଛି ।

Leave A Reply

Your email address will not be published.

5 × three =

error: Content is protected !!
Open chat