ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ କିମ୍ବା ୫ରେ ରାମ ମନ୍ଦିର ନିର୍ମାଣ ପାଇଁ ମୂଳଦୁଆ ପକାଇବେ

0 233
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ/ଅଯୋଧ୍ୟା ୧୯/୦୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି। ଏନେଇ ଆଜି ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ବୈଠକ ବସିଥିଲା। ବୈଠକରେ ଅଗଷ୍ଟ ୩ କିମ୍ବା ୫ ତାରିଖରେ ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ନିଷ୍ପତ୍ତି ହୋଇଛି।

ଏଥିପାଇଁ ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପତ୍ର ପଠା ଯାଇଛି। ମୋଦି ସେମାନଙ୍କ ନିମନ୍ତ୍ରଣ ରକ୍ଷା କରି ମୂଳଦୁଆ ପକାଇବା କ୍ଷଣି ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହେବ ବୋଲି ଜଣାପଡ଼ିଛି।

ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରାଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ବୈଠକରେ ମନ୍ଦିର ନିର୍ମାଣ ସଂପର୍କରେ କେତେକ ନିଷ୍ପତ୍ତି ନିଆଯାଇଛି। ମନ୍ଦିର ମୂଳଦୁଆ ପକାଇବା ପାଇଁ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦୁଇଟି ତାରିଖ ଅଗଷ୍ଟ ୩ ଓ ଅଗଷ୍ଟ ୫ ତାରିଖ ଧାର୍ଯ୍ୟ କରାଯାଇଛି।

ଏହି ଦୁଇ ତାରିଖ ମଧ୍ୟରୁ ଗୋଟିଏ ତାରିଖ ବାଛିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ରଷ୍ଟ ପ୍ରସ୍ତାବ ଦେଇଛି । ପ୍ରଧାନମନ୍ତ୍ରୀ ଗୋଟିଏ ତାରିଖ ବାଛିଲେ ସେହିଦିନ ମୂଳଦୁଆ ପଡ଼ିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ଦିର ନିର୍ମାଣ ଲାଗି ଲାର୍ସନ ଆଣ୍ଡ ଟୁବ୍ରୋ କଂପାନି ମୃତ୍ତିକାର ନମୁନା ସଂଗ୍ରହ କରିଛି। ଏହାସହ ୬୦ ମିଟର ଗଭୀରରୁ ମନ୍ଦିର ପାଇଁ ମାଟି ନମୁନା ନିଆଯିବା ସହ ଫାଉଣ୍ଡେସନ ଲାଗି ସ୍କେଚ ପ୍ରସ୍ତୁତ କରାଯାଉଛି। ଡ୍ରଇଁ ଅନୁସାରେ ମନ୍ଦିରର ଫାଉଣ୍ଡେସନ ପଡ଼ିବ ବୋଲି ଟ୍ରଷ୍ଟର ସାଧାରଣ ସଂପାଦକ ଚମ୍ପତ ରାୟ କହିଛନ୍ତି।

ତେବେ ମନ୍ଦିରର ଭୂମି ପୂଜା ଲାଗି ପ୍ରଧାନମନ୍ତ୍ରୀ ମୋଦି ଦିନ ସ୍ଥିର କରିବେ। କରୋନା ମହାମାରୀ ପାଇଁ ମନ୍ଦିର ନିର୍ମାଣ ବିଳମ୍ବ ହେଉଥିବାରୁ ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ଭୂମି ପୂଜା ହୋଇପାରେ। ମନ୍ଦିରର ଭୂମି ପୂଜା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଟ୍ରଷ୍ଟ ସଭାପତି ନୃତ୍ୟ ଗୋପାଳ ଦାସ ଚିଠି ଲେଖିଥିବା କୁହାଯାଇଛି।

Leave A Reply

Your email address will not be published.

two + 15 =

error: Content is protected !!
Open chat