ଭୋଗରାଇରେ ଅନର୍‌କିଲିଂ ଉଦ୍ୟମ : ରାତିଅଧରେ ଗର୍ଭବତୀ ଝିଅ, ଜ୍ୱାଇଁଙ୍କୁ ପ୍ରାଣାନ୍ତକ ଆକ୍ରମଣ

0 249
greentech

ଭୋଗରାଇ : ଭଲପାଇ ଅନ୍ୟ ଜାତିର ପୁଅକୁ ଜଣେ ଝିଅ ପ୍ରେମ ବିବାହ କରିଥିଲେ। କିନ୍ତୁ ଝିଅଙ୍କ ବାପା ଓ ପରିବାର ସଦସ୍ୟ ଏହାକୁ ଗ୍ରହଣ କରି ନଥିଲେ। ବିବାହର ୫ ମାସ ପରେ ଜ୍ୱାଇଁଠାରୁ ଝିଅକୁ ଅଲଗା କରିବା ପାଇଁ ଅନର୍‌କିଲିଂ ଉଦ୍ୟମ କରିଛନ୍ତି ବାପା। ପଶ୍ଚିମବଙ୍ଗରୁ ଭଡ଼ାରେ ଗୁଣ୍ଡା ଆଣି ରାତିଅଧରେ ଗର୍ଭବତୀ ଝିଅ ସହ ଜ୍ବାଇଁ ଏବଂ ତାଙ୍କ ପରିବାର ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫିଲ୍ମ ଷ୍ଟାଇଲ୍‌ରେ ଏଭଳି ଚାଞ୍ଚଲ୍ୟକର ଘଟଣା ରବିବାର ଦିନ ରାତି ୧୨ଟା ବେଳେ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ପଶରବିନ୍ଧା ପଞ୍ଚାୟତର ଆଡ଼ମିରିଗି ଗ୍ରାମରେ ଘଟିଛି।

ଆଡ଼ମିରିଗି ଗାଁର ପୂର୍ବତନ ପଞ୍ଚାୟତ ସମିତିସଭ୍ୟ ହୃଷିକେଶ ଭୂୟାଁ ଏବଂ ପୂର୍ବତନ ସରପଞ୍ଚ ସବିତା ଭୂୟାଁଙ୍କ ଏକମାତ୍ର ପୁଅ ହେଉଛନ୍ତି ବ୍ୟୋମକେଶ (୨୬। ସେ ପଡ଼ୋଶୀ ସାନଆଉସା ଗ୍ରାମର ଗଣେଶ ବାରିକଙ୍କ ଝିଅ ପାୟଲପ୍ରିୟା (୧୯)ଙ୍କୁ ୫ ବର୍ଷ ଧରି ପ୍ରେମ କରିଆସୁଥିଲେ। କିନ୍ତୁ ଉଭୟ ଭିନ୍ନ ଜାତିର ହୋଇଥିବାରୁ ପୁଅଝିଅକୁ ଅଲଗା କରିବା ପାଇଁ ୨ ପରିବାର ରୀତିମତ ଉଦ୍ୟମ କରିଥିଲେ। ଏ ନେଇ ହୃଷିକେଶ ୨୦୧୫ ମସିହାରେ ତାଙ୍କ ପୁଅକୁ ସାଉଦିଆରବ ଚାକିରି କରିବା ପାଇଁ ପଠାଇ ଦେଇଥିଲେ। ଦୂରରେ ରହି ବି ବ୍ୟୋମକେଶ ଓ ପାୟଲପ୍ରିୟା ଅଲଗା ହୋଇପାରି ନଥିଲେ। କରୋନା ସମୟରେ ବ୍ୟୋମକେଶ ଘରକୁ ଫେରିବା ପରେ ଗତ ଜୁଲାଇ ମାସ ୧୩ ତାରିଖ ଦିନ ପାୟଲପ୍ରିୟାଙ୍କୁ ଭେଟିଥିଲେ। ଏହାପରେ ଦୁହେଁ କାହାକୁ କିଛି ନକହି ଘରୁ ପଳାଇଯିବା ସହ ଜଳେଶ୍ବର ନୋଟାରୀରେ ବିବାହ କରିଥିଲେ। ଏ ନେଇ ଝିଅଙ୍କ ପରିବାର ପକ୍ଷରୁ ପୁଅ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଥିବା ବେଳେ ଥାନାରେ ମାମଲା ରୁଜୁ ହୋଇଥିଲା। ଅନ୍ୟପକ୍ଷରେ ଝିଅକୁ ଅପହରଣ କରାଯାଇଥିବା ନେଇ ବାପାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିଥିଲା।

କିଛିଦିନ ପୂର୍ବେ ଝିଅର ବୟାନ ମୂଳେ ହାଇକୋର୍ଟରେ ଏହି ଅପହରଣ ମାମଲାର ରଫାଦଫା ହୋଇଥିଲା। ହେଲେ ପ୍ରତିଶୋଧ ନିଆଁରେ ଜଳୁଥିବା ଗଣେଶ ଝିଅ ଓ ଜ୍ବାଇଁଙ୍କୁ ଜୀବନରୁ ମାରିଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ପଶ୍ଚିମବଙ୍ଗର ଭଡ଼ାଟିଆ ଗୁଣ୍ଡାକୁ ଆଣି ରବିବାର ରାତି ପ୍ରାୟ ୧୨ଟା ସମୟରେ ସ୍ଥାନୀୟ ବଡ଼ଆଉସା ଓ ଆଡ଼ମିରିଗିସ୍ଥ ୨ଟି ଟ୍ରାନ୍ସଫର୍ମରରୁ ବିଦ୍ୟୁତ୍‌ ସଂଯୋଗ କାଟି ଗାଁକୁ ସମ୍ପୂର୍ଣ୍ଣ ଅନ୍ଧାର କରିଦେଇଥିଲେ। ପରେ ଗଣେଶ ସମେତ ତାଙ୍କର ୨ ପୁଅ ପ୍ରଭୁରଞ୍ଜନ ଓ ଚିତ୍ତରଞ୍ଜନ, ଝିଅର ମାମୁଁ, ପିଉସା, ଗାଁର ଭଗୀରଥ ମହାକୁଡ଼ଙ୍କ ସହ ଅନ୍ୟ ପ୍ରାୟ ୨୫ ଜଣ ଭଡ଼ାଟିଆ ଗୁଣ୍ଡାକୁ ନେଇ ଜ୍ବାଇଁଙ୍କ ଘର ଉପରେ ଆକ୍ରମଣ କରିଥିଲେ। ବାରଣ୍ଡାରେ ଶୋଇଥିବା ହୃଷିକେଶ ଓ ସବିତାଙ୍କୁ ମଶାରି ସହିତ କମ୍ବଳ ଗୁଡ଼ାଇ କ୍ଲୋରୋଫର୍ମ ଶୁଙ୍ଘାଇବା ସହ ହାତୁଡ଼ିରେ ଅତର୍କିତ ଆକ୍ରମଣ କରିଥିଲେ। ପରେ କବାଟ ଭାଙ୍ଗି ଘର ଭିତରେ ପଶି ଜ୍ବାଇଁ ବ୍ୟୋମକେଶ ଓ ଝିଅ ପାୟଲପ୍ରିୟାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ହାତୁଡ଼ିରେ ବାଡ଼େଇ ଜ୍ବାଇଁର ଗୋଡ଼ ଭାଙ୍ଗିଦେଇଥିଲେ। ଏମିତିକି ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ବେକ ଚିପି ଧରିଥିଲେ। ଦୁଇମାସର ଅନ୍ତସତ୍ତ୍ବା ଥିବା ପାୟଲପ୍ରିୟାଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଥିବ‌ା ବଡ଼ବାପା ପୁଅ ଭାଇ ଅଞ୍ଜନଙ୍କୁ ମଧ୍ୟ ମାରଣାସ୍ତ୍ରରେ ମୁଣ୍ଡକୁ ହାଣି ପକାଇଥିଲେ। ସେହିପରି ଭାଉଜ ଅଞ୍ଜଳିଙ୍କୁ ଗୁଣ୍ଡାମାନେ ପିଟାମରା କରିଥିଲେ।

ପାଟିତୁଣ୍ଡ ଶୁଣି ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଗୁଣ୍ଡାମାନେ ସେଠାରୁ ଖସି ପଳାଇଯିବାରେ ସଫଳ ହୋଇଥିଲେ। ହେଲେ ଆକ୍ରମଣକାରୀ ଗଣେଶଙ୍କୁ ଆହତ ଝିଅ ପାୟେଲପ୍ରିୟା କୌଶଳକ୍ରମେ କାବୁ କରି ବାନ୍ଧି ପକାଇଥିଲେ। ଖବରପାଇ ଭୋଗରାଇ ଥାନା ଆଇଆଇସି ସୁଜାତା ଖମାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଯୋଗେ ଆହତମାନଙ୍କୁ ସ୍ଥାନୀୟ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଗଣେଶଙ୍କୁ ଥାନାକୁ ନେଇଥିଲେ। ଗୁରୁତର ଆହତ ବ୍ୟୋମକେଶ ଓ ଅଞ୍ଜନଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଆହତ ପାୟେଲପ୍ରିୟା, ସବିତା, ଅଞ୍ଜଳି ଓ ହୃଷିକେଶଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ହୃଷିକେଶଙ୍କ ଲିଖିତ ଅଭିଯୋଗ କ୍ରମେ ଭୋଗରାଇ ଥାନାରେ ୨୬୦/୨୦ ନମ୍ବରରେ ମାମଲା ରୁଜୁ ହୋଇ ଅଭିଯୁକ୍ତ ଗଣେଶଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରିଛି। ଜଳେଶ୍ବର ଏସ୍‌ଡିପିଓ ଅଙ୍କିତା କୁମ୍ଭାର ମାମଲାର ତଦନ୍ତ କରୁଥିବା ନେଇ ପୁଲିସ ସୂଚନା ଦେଇଛି।

Leave A Reply

Your email address will not be published.

3 × five =

error: Content is protected !!
Open chat