କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୫/୦୭ : ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିବା ସଚିନ ପାଇଲଟ ଏବେ କ‘ଣ କରିବେ, ତା’କୁ ନେଇ ଚର୍ଚ୍ଚା ଜୋରଧରିଛି। ସେ ବିଜେପିକୁ ଯିବେ ନା ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସକୁ ଗାଦିଚ୍ୟୁତ କରିବାକୁ ଗୋଟି ଚାଳନା କରିବେ, ତା’ ଉପରେ ସମସ୍ତଙ୍କ ନଜର।
ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମାତ୍ର କେଇଁ ଘଣ୍ଟା ପୂର୍ବରୁ ଯେଉଁ ସଚିନ ପାଇଲଟଙ୍କୁ ମନେଇବାକୁ ନେତାମାନେ ପ୍ରୟାସ କରୁଥିଲେ ସେହି ସଚିନ ପାଇଲଟଙ୍କୁ ଦଳ ଆଜି ବିଦା କରିଦେଇଛି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦର୍ଶାଇ ଦଳ ତାଙ୍କୁ ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ଓ ଉପ-ମୁଖ୍ୟମନ୍ତ୍ରୀ ଆସନରୁ ହଟାଇ ଦେଇଛି।
ତେବେ ଏହାପରେ ସଚିନଙ୍କ ରଣନୀତି କ’ଣ ରହିବ? ସେ ଅନ୍ୟ କେଉଁ ଦଳରେ ସାମିଲ ହେବେ ନାଁ ନିଜେ କୌଣସି ଆଞ୍ଚଳିକ ଦଳ ଗଠନ କରିବେ ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।
ଏହି ସମୟରେ ସେ କିଛି ବଡ଼ ଘୋଷଣା କରିବା ସମ୍ଭାବନା ରହିଛି। ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ପ୍ରଦେଶ କମିଟି ମୁଖ୍ୟ ପଦରୁ ଦଳ ତାଙ୍କୁ ବରଖାସ୍ତ କରିଛି। ହେଲେ ଦଳରୁ ତାଙ୍କୁ ବିଦା କରାଯାଇ ନାହିଁ। ତେଣୁ ଆସନ୍ତାକାଲି ସଚିନ ପାଇଲଟ କଂଗ୍ରେସ ଛାଡ଼ିବେ କି ନାହିଁ, ତା’ ଉପରେ ଚୂଡ଼ାନ୍ତ ଘୋଷଣା କରିବେ।
ଗତ କିଛିଦିନ ଧରି ପାଇଲଟ ଜୟପୁରରୁ ଆସି ଦିଲ୍ଲୀରେ ଡେରା ପକାଇଛନ୍ତି। ଏହି ସମୟରେ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ଲଗାତାର ସମ୍ପର୍କରେ ରହିଥିବା ଚର୍ଚ୍ଚା ହେଉଛି। ତେଣୁ ସେ କଂଗ୍ରେସରୁ ବିଦା ହେବା ପରେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଉଛି।
ଏନେଇ ସେ ତାଙ୍କର ବନ୍ଧୁ ତଥା ମଧ୍ୟପ୍ରଦେଶରେ କଂଗ୍ରେସକୁ ବାଏ ବାଏ କହି ବିଜେପିରେ ସାମିଲ ହୋଇଥିବା ଯୁବନେତା ଜ୍ୟୋତିରାଦିତ୍ୟା ସିନ୍ଧିଆଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ସିନ୍ଧିଆ ଓ ପାଇଲଟଙ୍କ ଏହି ଆଲୋଚନା ସେ ବିଜେପିରେ ସାମିଲ ହେବା ଆଲୋଚନାକୁ ଆହୁରି ମଜଭୁତ କରିଛି।
ନୂଆ ଆଞ୍ଚଳିକ ଦଳ ଗଠନ କରିପାରନ୍ତି
ଅନ୍ୟପଟେ କେତେକ ରାଜନୀତିକ ବିଶେଷଜ୍ଞମାନେ କହୁଛନ୍ତି ଯେ, ସଚିନ ପାଇଲଟ ବିଜେପିରେ ସାମିଲ ହେବେ ନାହିଁ। ଏହା ବଦଳରେ ସେ ନୂଆ ଏକ ଆଞ୍ଚଳିକ ଦଳ ଗଠନ କରିପାରନ୍ତି। ହେଲେ ଏହି କଥା କେତେଦୂର ସତ୍ୟ ତାହା ବର୍ତ୍ତମାନ ପରିସ୍ଥିତିରେ କଳ୍ପନା କରିବା ମୁସ୍କିଲ ହୋଇଯାଇଛି। ଯେପର୍ଯ୍ୟନ୍ତ ସଚିନ୍ ପାଇଲଟ ଅନ୍ୟ କୌଣସି ଦଳରେ ସାମିଲ ହୋଇନାହାନ୍ତି ସେ ପର୍ଯ୍ୟନ୍ତ ନୂଆ ଦଳ ଗଠନ କଥାକୁ ମଧ୍ୟ କାଟି ହେବ ନାହିଁ ବୋଲି କୁହାଯାଉଛି।
ସେହିପରି ତାଙ୍କର ଆଗାମୀ ରଣନୀତି କ’ଣ ହେବ, ସେ ବିଷୟରେ ବି ସେ ସଙ୍କେତ ଦେବାର ସମ୍ଭାବନା ରହିଛି। ଆଜି ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେବା ପରେ ସଚିନ ପାଇଲଟ ଟ୍ୱିଟ କରି କହିଥିଲେ ଯେ ସତ୍ୟକୁ କେବଳ ସମସ୍ୟାରେ ପକାଇ ହେବ କିନ୍ତୁ ଏହାକୁ କେବେ ହେଲେ ପରାସ୍ତ କରାଯାଇ ପାରିବ ନାହିଁ।
ଏହାପୂର୍ବରୁ ସେ କହିଥିଲେ, “କେହି ବି ନିଜର ଘର ଛାଡ଼ିବାକୁ ଚାହାନ୍ତି ନାହିଁ। କିନ୍ତୁ ଅନେକ କଷ୍ଟ ସହି ବହୁଦିନ ରହିବା ବି ସମ୍ଭବ ପର ନୁହେଁ। ମୋ ବିଧାୟକ ଓ ସମର୍ଥକମାନେ ବହୁତ ଆଘାତ ପାଇଛନ୍ତି। ମୋତେ ସେମାନଙ୍କ କଥା ଶୁଣିବାକୁ ପଡ଼ିବ।”