ରାଫେଲ ଯୁଦ୍ଧ ବିମାନ ଭାରତ ପାଇଁ ‘ଗେମ୍‌ ଚେଞ୍ଜର’ – ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ

0 667
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୩୦/୦୭:ଭାରତ ମାଟିରେ ଆଜି ଲଢୁଆ ଯୁଦ୍ଧ ବିମାନ ରାଫେଲର ଅବତରଣକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହ ଏକ ‘ଗେମ୍‌ ଚେଞ୍ଜର’ ଘଟଣା ବୋଲି କହିଛନ୍ତି । ରାଫେଲ ଜେଟ୍‌ ପହଞ୍ଚିବା ଆମର ଶକ୍ତିଶାଳୀ ବାୟୁସେନା ପାଇଁ ଏକ ଐତିହାସିକ ଦିବସ ଓ ଭାରତ ପାଇଁ ଗର୍ବ ଓ ଗୌରବର କ୍ଷଣ ବୋଲି ଏକ ଟ୍ୱିଟ୍‌ ବାର୍ତ୍ତାରେ ସେ କହିଛନ୍ତି । ଆଜି ହରିୟାଣାର ଅମ୍ବାଲା ବାୟୁସେନା ଘାଟିରେ 5ଟି ରାଫେଲ ବିମାନ ଭାରତୀୟ ଜାତୀୟ ପତାକା ଉଡାଇ ଅବତରଣ କରିବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ବାର୍ତ୍ତା ମାଧ୍ୟମରେ ତାଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି ଯେ ସାରା ଦେଶ ପାଇଁ ଏହା ଏକ ସ୍ମରଣୀୟ ଦିବସ । ଭାରତକୁ ଏକ ସଶକ୍ତ ଓ ନିରାପଦ ରାଷ୍ଟ୍ରରେ ପରିଣତ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପର ଏହା ପ୍ରମାଣ । ମୋଦୀ ସରକାର ଭାରତର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ସଂକଳ୍ପବଦ୍ଧ ।

ସେ କହିଛନ୍ତି ଯେ ଏହି ଅତ୍ୟାଧୁନିକ ଯୁଦ୍ଧବିମାନ ବିଶ୍ୱର ସବୁଠୁ ଶକ୍ତିଶାଳୀ ଲଢୁଆ ବିମାନ ମଧ୍ୟରେ ଅନ୍ୟତମ ଏବଂ ଆକାଶମାର୍ଗରେ ଯେକୌଣସି ଆହ୍ୱାନର ମୁକାବିଲା କରିବାକୁ ସକ୍ଷମ । ଉଭୟ ଗତି ଓ ଅସ୍ତ୍ର ବହନ ଦକ୍ଷତା ଆଦି ସବୁ କ୍ଷେତ୍ରରେ ରାଫେଲ ଜେଟ୍‌ ବହୁ ଆଗରେ । ଏହି ବିଶ୍ୱ ଶ୍ରେଣୀୟ ଲଢୁଆ ଜେଟ୍‌ ଖେଳ ବଦଳାଇବା (ଗେମ୍‌ ଚେଞ୍ଜର)ରେ ସମର୍ଥ ହେବ ବୋଲି ମୁଁ ଦୃଢ ନିଶ୍ଚିତ । ଏହା ନିଜର କ୍ଷମତା ଓ ଶ୍ରେଷ୍ଠତା ବଳରେ ଆମର ବାୟୁଯୋଦ୍ଧାମାନଙ୍କୁ ସହାୟତା କରି ଆମ ଆକାଶକୁ ସୁରକ୍ଷିତ ରଖିପାରିବ ।

ସ୍ୱରାଷ୍ଟ୍ରମନ୍ତ୍ରୀ ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ, ଭାରତୀୟ ବାୟୁସେନା ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଇଛନ୍ତି । ବାୟୁସେନାକୁ ଏଭଳି ଅଭୂତପୂର୍ବ ଶକ୍ତି ଓ ସାମର୍ଥ୍ୟ ପ୍ରଦାନ କରିଥିବାରୁ ଶ୍ରୀ ଶାହ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । (PIB)

Leave A Reply

Your email address will not be published.

one × one =

error: Content is protected !!
Open chat