ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ : ହୋମଗାର୍ଡଙ୍କ ଦୈନିକ ଭତ୍ତା ୫୩୩ ଟଙ୍କା ବୃଦ୍ଧି କର

0 478
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୦/୦୮: ଜାନୁଆରିରୁ ଗୃହରକ୍ଷୀମାନେ ପ୍ରତିଦିନ ୫୩୩ ଟଙ୍କା ପ୍ରାପ୍ୟ ପାଇବେ। ଏ ବାବଦ ବକେୟା ପ୍ରାପ୍ୟ ଗୃହରକ୍ଷୀଙ୍କୁ ତିନି ମାସ ମଧ୍ୟରେ ପ୍ରଦାନ କରାଯିବ। ଆଜି ଗୃହରକ୍ଷୀଙ୍କ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ହାଇକୋର୍ଟ ଏପରି ରାୟ ଦେଇଛନ୍ତି।ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ତିନି ମାସ ମଧ୍ୟରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍‌ ଓ ଜଷ୍ଟିସ ଏ.କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଗତ ଜାନୁୟାରୀରୁ ପିଛିଲା ଭାବେ ଏହା ଲାଗୁହେବ। ହାଇକୋର୍ଟଙ୍କ ଏହି ରାୟ ପରେ ରାଜ୍ୟର ପ୍ରାୟ ୧୭ ହଜାର ୬୭୫ ଗୃହରକ୍ଷୀ ବର୍ଦ୍ଧିତ ହାରରେ ଦୈନିକ ପ୍ରାପ୍ୟ ପାଇବା ପାଇଁ ପଥ ପରିଷ୍କାର ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ  ୨୦୨୦, ଫେବ୍ରୁଆରି ୨୮ରେ ହାଇକୋର୍ଟ ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୃହରକ୍ଷୀଙ୍କୁ ବର୍ଦ୍ଧିତ ହାରରେ ପ୍ରାପ୍ୟ ପ୍ରଦାନ ସପକ୍ଷରେ ରାୟ ପ୍ରଦାନ କରିଥିଲେ। ସପ୍ତମ ବେତନ କମିସନଙ୍କ ସୁପାରିସ ଓ ଅଗ୍ନିଶମ ଓ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ ତଥା ସୁପ୍ରିମକୋର୍ଟଙ୍କ ୨୦୧୫ର ନିର୍ଦ୍ଦେଶ ଅନୁଯାୟୀ ଗୃହରକ୍ଷୀଙ୍କୁ ପ୍ରାପ୍ୟ ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ବିଭାଗର ସବୁ ଠାରୁ ତଳ ପାହ୍ୟାରେ ଥିବା କନଷ୍ଟେବଳଙ୍କୁ ପ୍ରଦାନ କରାଯାଉଥିବା ପ୍ରାପ୍ୟକୁ ଆଧାର କରି ଦୈନିକ ଗୃହରକ୍ଷୀଙ୍କୁ ୫୩୩ ଟଙ୍କା ପ୍ରଦାନ ପାଇଁ ଗୃହରକ୍ଷୀ ମହାନିର୍ଦ୍ଦେଶକ ସୁପାରିସ କରିଥିଲେ। ଏହି ସୁପାରିସ ଏକ ମାସ ଭିତରେ କାର୍ଯ୍ୟକାରୀ କରି ୨୦୧୬, ନଭେମ୍ବର ୧୦ରୁ  ଗୃହରକ୍ଷୀଙ୍କୁ ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ।

ଗୃହରକ୍ଷୀଙ୍କ ସଂଶୋଧିତ ପ୍ରାପ୍ୟ ନିର୍ଦ୍ଧାରଣ ପର୍ଯ୍ୟନ୍ତ ସେମାନଙ୍କୁ ଦୈନିକ ପାଞ୍ଚ ଶହ ଟଙ୍କା ଲେଖାଏ ପ୍ରଦାନ କରାଯିବ। ୨୦୨୦, ଜାନୁଆରି ମାସରୁ ପିଛିଲା ଭାବେ ଏହି ପ୍ରାପ୍ୟ ଗୃହରକ୍ଷୀଙ୍କୁ ପ୍ରଦାନ କରାଯିବ। ଏହାର ଭବିଷ୍ୟତ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ୍ ଆଧାରରେ ସରକାର ବର୍ଦ୍ଧିତ ପ୍ରାପ୍ୟ ପ୍ରସଂଗରେ ଗ୍ରହଣ କରିବାକୁ ଥିବା ଚୂଡାନ୍ତ ନିଷ୍ପତ୍ତି ଉପରେ ନିର୍ଭର କରିବ। ସରକାରଙ୍କ ଏ ସଂପର୍କିତ ନିଷ୍ପତ୍ତିର  ତିନି ମାସ ଭିତରେ ଗୃହରକ୍ଷୀଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରାଯିବ ବୋଲି ଫେବ୍ରୁଆରି ୨୮ରେ ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଥିଲା। ଜଣିକିଆ ବିଚାରପତିଙ୍କ ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟରେ ରିଟ୍ ଅପିଲ ଦାୟର କରିଥିଲେ।

ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ରିଟ୍ ଅପିଲର ଶୁଣାଣି କରି ଦୈନିକ ୫୩୩ ଟଙ୍କା ପ୍ରାପ୍ୟ ସଂକ୍ରାନ୍ତୀୟ ଗୃହରକ୍ଷୀ ମହାନିର୍ଦ୍ଦେଶକଙ୍କ ସୁପାରିସ କାର୍ଯ୍ୟକାରୀ ନିର୍ଦ୍ଦେଶ ପ୍ରସଂଗରେ ହସ୍ତକ୍ଷେପ କରିବାକୁ ମନା କରିଛନ୍ତି। ୨୦୧୬, ଜାନୁଆରି ୧୦ରୁ ବର୍ଦ୍ଧିତ ପ୍ରାପ୍ୟ ପ୍ରଦାନ ପାଇଁ ୨୦୨୦, ଫେବ୍ରୁଆରି ୨୮ରେ ପ୍ରଦାନ କରାଯାଇଥିବା ରାୟରେ ପରିବର୍ତ୍ତନ କରି ୨୦୨୦, ଜାନୁଆରିରୁ ଗୃହରକ୍ଷୀମାନେ ବର୍ଦ୍ଧିତ ପ୍ରାପ୍ୟ ପାଇ ପାରିବେ ବୋଲି ଖଣ୍ଡପୀଠ ରାୟ ଦେଇଛନ୍ତି। ଗୃହରକ୍ଷୀମାନେ ବର୍ଦ୍ଧିତ ପ୍ରାପ୍ୟ ବାବଦ ବକେୟା ଅର୍ଥ ୨୦୨୦, ଜାନିଆରିରୁ ପାଇବେ ଓ ଆଜି ଠାରୁ ୩ ମାସ ଭିତରେ ଏହି ଅର୍ଥ ସେମାନଙ୍କୁ ପ୍ରଦାନ କରାଯିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ସରକାରଙ୍କ ରିଟ୍ ଅପିଲକୁ ଆଂଶିକ ଭାବେ ଗ୍ରହଣ କରି ଖଣ୍ଡପୀଠ ଏପରି ରାୟ ପ୍ରଦାନ କରିଛନ୍ତି।

Leave A Reply

Your email address will not be published.

4 + 12 =

error: Content is protected !!
Open chat