କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୯ : ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ମାମଲାର ଗ୍ରାଫ୍ ବଢିବାରେ ଲାଗିଛି। ଭାରତ, ଆମେରିକା ସହିତ ବହୁ ଦେଶ ଏଥିରେ କବଳିତ ହୋଇଛି। ଏହାର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ଔଷଧ ଓ ଟିକା ବିକଶିତ କରିବାରେ ଲାଗିଛନ୍ତି। ଏହା ଭିତରେ ଏକ ରିପୋର୍ଟ ଆସିଛି ଯେ, ଷ୍ଟେରଏଡ୍ ଔଷଧ (Steroid) କରୋନା ଭାଇରସ୍ ସଂକ୍ରମଣର ଗମ୍ଭୀର ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରେ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏନେଇ ନୂଆ ଆଡଭାଇଜରୀ ଜାରି କରିଛି।
ଡବ୍ଲୁଏଚଓ ପକ୍ଷରୁ କୁହାଯାଇଛି ଯେ, ଷ୍ଟେରଏଡର ବ୍ୟବହାର କେବଳ ଗମ୍ଭୀର ରୂପରେ କରୋନା ସଂକ୍ରମତିଙ୍କ ଉପରେ କରିହେବ। କିନ୍ତୁ ପ୍ରାରମ୍ଭିକ ଲକ୍ଷଣ ଥିବା ରୋଗୀଙ୍କ ଉପରେ ଏହାକୁ ବ୍ୟବହାର କରିହେବନି। ଏ ସମ୍ପର୍କରେ ଜର୍ନାଲ ଅଫ୍ ଆମେରିକାନ୍ ମେଡିକାଲ ଆସୋସିଏସନର ପ୍ରଧାନ ସମ୍ପାଦକ ହାଓ୍ବାର୍ଡ ସି ବାଉଚରଙ୍କ କହିବା ଅନୁସାରେ, କରୋନା ମହାମାରୀ ସହ ଗମ୍ଭୀର ରୂପରେ ସଂଗ୍ରାମ କରୁଥିବା ରୋଗୀଙ୍କ ପାଇଁ ଷ୍ଟେରଏଡ୍ ଖୁବ୍ ଲାଭଦାୟକ ପ୍ରମାଣିତ ହେବ। ସାରା ବିଶ୍ବରେ ଏହାର ବ୍ୟବହାର କରାଯାଇଥାଏ।
ସେଭଳି ଡବ୍ଲୁଏଚଓ ଏହି ମାମଲାରେ କହିଛି ଯେ, ଅଲଗା ଅଲଗା ସ୍ଥାନରେ ପ୍ରାୟ ୧୭୦୦ କରୋନା ଭାଇରସ୍ ସଂକ୍ରମିତଙ୍କ ଉପରେ ଷ୍ଟେରଏଡର ଔଷଧ ୩ ପ୍ରକାର ଟ୍ରାଏଲରେ ଏହି କଥା ସାମନାକୁ ଆସିଛି। ଷ୍ଟେରଏଡ୍ ଔଷଧର ବ୍ୟବହାରରେ କରୋନା ରୋଗୀଙ୍କ ମୃତ୍ୟୁର ବିପଦର ଆଶଙ୍କା ଖୁବ୍ କମ୍ ହୋଇଯାଇଥାଏ। ଡାକ୍ତରଙ୍କ ପକ୍ଷରୁ ଡେକ୍ସାମେଥାସୋନ, ହାଇଡ୍ରୋକାର୍ଟିସନ୍ ଓ ମିଥାଇଲପ୍ରେଡିସୋଲୋନ୍ ଭଳି ଷ୍ଟେରଏଡ୍ ଔଷଧ ସବୁବେଳେ ଡାକ୍ତର ଓ ରୋଗୀଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହିତ ଫୁଲା ଏବଂ ଯନ୍ତ୍ରଣାକୁ କମ୍ କରିବା ପାଇଁ ଦିଆଯାଇଥାଏ।
ଉଲ୍ଲେଖନୀୟ ଯେ, ସାରା ବିଶ୍ବରେ ଏପର୍ଯ୍ୟନ୍ତ ୨.୬୧ କୋଟିରୁ ଅଧିକ କରୋନା ଭାଇରସ୍ ସଂକ୍ରମଣ ମାମଲା ସାମନାକୁ ଆସିଛି। ସେଭଳି ଏହି ମହାମାରୀରୁ ଏପର୍ଯ୍ୟନ୍ତ ୮.୬୭ ଲକ୍ଷରୁ ଅଧିକ ଲୋକଙ୍କର ଜୀବନ ଯାଇ ସାରିଛି। ଏହା ସହିତ ବିଶ୍ବରେ ଏପର୍ଯ୍ୟନ୍ତ ୧.୮୪ କୋଟି ଲୋକ ଏହାଦ୍ବାରା ଠିକ୍ ହୋଇସାରିଛନ୍ତି।