କୋଭିଡ୍-୧୯ ପାଇଁ ସିବିଏସ୍ଇର ସଂଶୋଧିତ ପାଠ୍ୟକ୍ରମ ପ୍ରକାଶିତ : ଏଥର ସଂଘବାଦ, ନାଗରିକତା, ଜାତୀୟତା ଓ ଧର୍ମନିରପେକ୍ଷତା ବାଦ୍
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୯/୦୭: ଭୁବନେଶ୍ବର : କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍ଇ) ପକ୍ଷରୁ ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ହ୍ରାସ କରାଯାଇଛି। ସମସ୍ତ ବିଷୟକୁ ୩୦% ଲେଖାଏ କମାଯିବା ସହ ସଂଶୋଧିତ ପାଠ୍ୟକ୍ରମ ପ୍ରକାଶିତ ହୋଇଛି। ଏନେଇ ସିବିଏସ୍ଇ ପକ୍ଷରୁ ଗତକାଲି ବିଜ୍ଞପ୍ତି ଜାରି ହେବା ପରେ ଶିକ୍ଷାବିତ୍, ଶିକ୍ଷକ ଓ ଅଭିଭାବକଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅଧିକାଂଶ ଏହାକୁ ସ୍ବାଗତ କରିଥିବା ବେଳେ ସଂଶୋଧିତ ପାଠ୍ୟକ୍ରମରେ କେତେକ ପରିବର୍ତନକୁ ନେଇ ଶିକ୍ଷାବିତ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଏକାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ବିଷୟରୁ ସଂଘବାଦ, ନାଗରିକତା, ଜାତୀୟତା ଓ ଧର୍ମନିରପେକ୍ଷତା ପରି ଅଧ୍ୟାୟଗୁଡ଼ିକୁ ସମ୍ପୂର୍ଣ୍ଣ ହଟାଇ ଦିଆଯାଇଛି। ଗୋଟିଏ ପଟେ ଭାରତ ସାରା ବିଶ୍ବକୁ ଧର୍ମନିରପେକ୍ଷତାର ବାର୍ତା ଦେଉଥିବା ବେଳେ ଅନ୍ୟପଟେ ସିବିଏସ୍ଇର ଏଭଳି ସଂଶୋଧିତ ପାଠ୍ୟକ୍ରମକୁ ନେଇ ନେଇ ପ୍ରଶ୍ନ ଉଠିଛି।
ଏକାଦଶ ଶ୍ରେଣୀରେ ଲୋକାଲ୍ ଗଭର୍ଣ୍ଣମେଣ୍ଟ୍ ବିଷୟର ‘ହ୍ବାଇ ଡୁ ଵି ନିଡ୍ ଲୋକାଲ୍ ଗଭର୍ଣ୍ଣମେଣ୍ଟ୍’ ଓ ‘ଗ୍ରୋଥ୍ ଅଫ୍ ଲୋକାଲ୍ ଗଭର୍ଣ୍ଣମେଣ୍ଟ୍ ଇନ୍ ଇଣ୍ଡିଆ’ ଅଧ୍ୟାୟକୁ ସମ୍ପୂର୍ଣ୍ଣ ବାଦ୍ ଦିଆଯାଇଛି। ଦ୍ବାଦଶ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ‘ସିକ୍ୟୁରିଟି ଇନ୍ ଦି କଣ୍ଟେମ୍ପରାରି ଵାର୍ଲ୍ଡ’, ‘ଏନ୍ଭାରନ୍ମେଣ୍ଟ୍ ଆଣ୍ଡ୍ ନାଚୁରାଲ୍ ରିସୋର୍ସେସ୍’, ‘ସୋସିଆଲ୍ ଆଣ୍ଡ୍ ନିଉ ସୋସିଆଲ୍ ମୁଭ୍ମେଣ୍ଟ୍ସ ଇନ୍ ଇଣ୍ଡିଆ’, ‘ଫାଇଭ୍ ୟର ପ୍ଲାନ’, ‘ଇଣ୍ଡିଆ ରିଲେସନ୍ ଉଇଥ୍ ଇଟସ୍ ନେଇବର’ ‘ରିଜିଓନାଲ୍ ଆସ୍ପିରେସନ୍ସ’ ଆଦି ଅଧ୍ୟାୟକୁ ହଟାଇ ନିଆଯାଇଛି। ନବମ ଶ୍ରେଣୀର ରାଜନୀତି ବିଜ୍ଞାନ ପାଠ୍ୟକ୍ରମରୁ ‘ଡେମୋକ୍ରାଟିକ୍ ରାଇଟ୍ସ ଆଣ୍ଡ୍ ଷ୍ଟ୍ରକଚର ଅଫ୍ ଦି ଇଣ୍ଡିଆନ୍ କନ୍ଷ୍ଟିଚୁସନ୍’, ଅର୍ଥନୀତି ବିଜ୍ଞାନ ପାଠ୍ୟକ୍ରମରୁ ‘ଫୁଡ୍ ସିକ୍ୟୁରିଟି ଇନ୍ ଇଣ୍ଡିଆ’ ବାଦ୍ ପଡ଼ିଛି। ଦଶମ ଶ୍ରେଣୀ ପିଲାଙ୍କ ପାଇଁ ‘ଡେମୋକ୍ରାସି ଆଣ୍ଡ୍ ଡାଇଭର୍ସିଟି’, ‘କାଷ୍ଟ୍, ରିଲିଜନ୍ ଆଣ୍ଡ୍ ଜେଣ୍ଡର’ ଓ ‘ଚାଲେଞ୍ଜ୍ସ ଟୁ ଡେମୋକ୍ରାସି’ ଆଦି ବିଷୟକୁ ବାଦ୍ ଦିଆଯାଇଛି। ଏକାଦଶ ଶ୍ରେଣୀରୁ ‘ଜିଏସ୍ଟି’ର ସମ୍ପୂର୍ଣ୍ଣ ବିଷୟକୁ ବାଦ୍ ଦିଆଯାଇଛି।
ଶିକ୍ଷାବିତ୍ ପ୍ରୀତିଶ୍ ଆଚାର୍ଯ୍ୟ କହିଛନ୍ତି ଯେ ସିବିଏସ୍ଇ ଯେଉଁ ନିଷ୍ପତ୍ତି ନେଇଛି ତାହାକୁ ଗୋଟିଏ ବର୍ଷ ବୋଲି ଧରିନିଆଯିବା କଥା। ଯେଉଁ ବିଷୟଗୁଡ଼ିକୁ ବାଦ୍ ଦିଆଯାଇଛି ତାହାକୁ ପୁଣି ଆସନ୍ତା ଶିକ୍ଷାବର୍ଷରେ ଯୋଡ଼ାଯିବାର ଆବଶ୍ୟକତା ରହିଛି। ଯେଉଁ ପିଲାମାନେ ସମ୍ପୃକ୍ତ ବିଷୟକୁ ଏଥର ପଢ଼ିପାରିବେ ନାହିଁ ସେମାନେ କିଭଳି ଆସନ୍ତା ବର୍ଷରେ ସେଗୁଡ଼ିକୁ ପଢ଼ିପାରିବେ ସେନେଇ ସିବିଏସ୍ଇ ପକ୍ଷରୁ ସ୍ପଷ୍ଟ କରାଯିବା ଦରକାର।
ସିବିଏସ୍ଇ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ୨୦୨୦-୨୧ ଶିକ୍ଷାବର୍ଷ ଲାଗି ୯ମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୯୦ଟି ବିଷୟର ୩୦% ପାଠ୍ୟକ୍ରମ ହ୍ରାସ କରାଯାଇଛି। ଛାତ୍ରଛାତ୍ରୀଙ୍କ ଉପରୁ ପାଠପଢ଼ା ବୋଝ କମାଇବା ଲାଗି ଏହା କେବଳ ଗୋଟିଏ ବର୍ଷ ପାଇଁ ହ୍ରାସ ହୋଇଛି। ୨୦୨୦-୨୧ ବୋର୍ଡ ପରୀକ୍ଷାରେ ବାଦ୍ ପଡ଼ିଥିବା ସିଲାବସ୍ରୁ କୌଣସି ପ୍ରଶ୍ନ ଆସିବ ନାହିଁ। ସ୍କୁଲଗୁଡ଼ିକ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରିବାକୁ ଏନ୍ସିଇଆରଟି ପକ୍ଷରୁ କୁହାଯାଇଛି। ସଂକ୍ଷିପ୍ତ ସିଲାବସ୍ରୁ ଯେଉଁ ବିଷୟ ବାଦ୍ ଦିଆଯାଇଥିବା ନେଇ ଅଭିଯୋଗ ହେଉଛି ସେଗୁଡ଼ିକ ବିକଳ୍ପ ଶିକ୍ଷା କ୍ୟାଲେଣ୍ଡରରେ ରହିବ। ପିଲାମାନେ ଦ୍ବନ୍ଦ୍ବରେ ପଡ଼ନ୍ତୁ ନାହିଁ। ବାଦ୍ ପଡ଼ିଥିବା ବିଷୟଗୁଡ଼ିକ ସଂକ୍ଷିପ୍ତ ସିଲାବସ୍ ନ ହେଲେ ଏନ୍ସିଇଆରଟିର ବିକଳ୍ପ ଶିକ୍ଷା କ୍ୟାଲେଣ୍ଡରରେ ରହିଥିବ।