କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୯/୦୭: ଚୀନ ପରି ଦେଶଗୁଡ଼ିକରୁ ଆସୁଥିବା ପ୍ରାୟ ୩୭୧ ପ୍ରକାରର ସାମଗ୍ରୀକୁ ବାଧ୍ୟତାମୂଳକ ଭାବେ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ(ଆଇଏସ୍) ଅଧୀନରେ ଆଣିବାର ଯୋଜନା କରିଛି ଭାରତ। ଖେଳନା, ଷ୍ଟିଲ୍ ବାର୍, ଷ୍ଟିଲ୍ ଟ୍ୟୁବ୍, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ଟେଲିକ୍ ସାମଗ୍ରୀ, କାଗଜ, ରବର ଓ କାଚ ଆଦି ସାମଗ୍ରୀର ଆସନ୍ତା ମାର୍ଚ ମାସ ସୁଦ୍ଧା ମାନ ଗଠନ କରାଯାଇ ଆମଦାନୀ ହେଉଥିବା ନିମ୍ନମାନର ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଯିବ।
ଗତବର୍ଷ ଏହି ସାମଗ୍ରୀଗୁଡ଼ିକୁ ବାଣିଜ୍ୟ ମନ୍ତ୍ରାଳୟ ଚିହ୍ନଟ କରିଥିଲା। ଅଧିକାରୀଙ୍କ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସାମଗ୍ରୀର ମାନ ଗଠନ କରାଯାଇ ଆତ୍ମନିର୍ଭର ଭାରତକୁ ତ୍ବରାନ୍ବିତ କରି ଆମଦାମୀ ହ୍ରାସ ଓ ରପ୍ତାନି ବୃଦ୍ଧି ପାଇଁ ଯୋଜନା ରହିଛି। କିଛି ସାମଗ୍ରୀର ମାନ ଗଠନ ଡିସେମ୍ବର ସୁଦ୍ଧା ହେବାକୁ ଥିବା ବେଳେ ଆଉ କିଛି ମାର୍ଚ ସୁଦ୍ଧା ହେବ ବୋଲି ସୂଚନା ରହିଛି।
ଏକ ପ୍ରଶ୍ନର ଉତ୍ତରରେ ବିଆଇଏସ୍ ନିର୍ଦ୍ଦେଶକ ପ୍ରମୋଦ କୁମାର ତିୱାରୀ କହିଛନ୍ତି, ‘ଚୀନ ସମେତ ଅନ୍ୟାନ୍ୟ ଦେଶରରୁ ଆମଦାନୀ ହୋଇଥିବା ୩୭୧ ପ୍ରକାର ସାମଗ୍ରୀକୁ ବାଣିଜ୍ୟ ମନ୍ତ୍ରାଳୟ ଚିହ୍ନଟ କରିଛିି। ଏହି ସାମଗ୍ରୀଗୁଡ଼ିକର ବାଧ୍ୟତାମୂଳକ ମାନକ ଗଠନ କରି କାଣ୍ଡଲା, ଜେଏନପିଟି ଏବଂ କୋଚିନ ପରି ସରକାରୀ ବନ୍ଦରଗୁଡ଼ିକୁ କାର୍ଯ୍ୟକାରିତା ବୃଦ୍ଧି କରିବାର ଯୋଜନା କରିଛୁ।’
ଖାଉଟି ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶୱାନ ଦୁଇଟି ବିଆଇଏଏସ୍ ୱେବ୍ସାଇଟ୍ ଲଞ୍ଚ୍ କରିବାର ମାତ୍ର କିଛି ସମୟ ପରେ ତିୱାରୀ ଏପରି ସୂଚନା ଦେଇଛନ୍ତି। ସେ ଆହୁରି ବି କହିଛନ୍ତି କି ଅତି କମ୍ ପରିମାଣରେ ଆମଦାମୀ ହେଉଥିବା ସାମଗ୍ରୀ ପାଇଁ କୌଣସି ପ୍ରକାରର ମାନକ ଗଠନ କରାଯିବ ନାହିଁ।