ଆଦିତ୍ୟ ଦାଶ ମୃତ୍ୟୁ ମାମଲା : କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଆରମ୍ଭ

0 500
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର୩୧/୦୭: ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ତଦନ୍ତ ଭାର ନେଇଛି କ୍ରାଇମ୍‌ବ୍ରାଞ୍ଚ। ପୁଲିସ ଡିଜି ଅଭୟ ଆଜି ନିର୍ଦ୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚ ତନାଘନା ଆରମ୍ଭ କରିଛି। ପୂର୍ବାହ୍ନ ୧୦ଟା ବେଳେ କ୍ରାଇମ୍‌ବ୍ରାଞ୍ଚର ତିନିଜଣିଆ ଟିମ୍‌ ରେଳବାଇ ଥାନାରେ ପହଞ୍ଚି ତିନିଘଣ୍ଟା ଧରି ଛାନ୍‌ଭିନ୍‌ କରିଛି। ଜିଆର୍‌ପି ପ୍ରସ୍ତୁତ କରିଥିବା ସମସ୍ତ ଦସ୍ତାବିଜ୍‌ ସଂଗ୍ରହ କରିବା ସହ ତଦନ୍ତକାରୀ ଅଧିକାରୀଙ୍କ ଠାରୁ ଘଟଣା ବାବଦରେ ବିସ୍ତୃତ ଭାବରେ ଅବଗତ ହୋଇଛି। ସେଠାରୁ ଏହି ଟିମ୍‌ ଲିଙ୍ଗରାଜ ଷ୍ଟେସନରେ ପହଞ୍ଚି ତଦନ୍ତ କରିବା ସହ ଘଟଣାସ୍ଥଳ ମଧ୍ୟ ଅନୁଧ୍ୟାନ କରିଛି। ଘଟଣାକ୍ରମକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଏକ ସ୍କେଚ୍‌ ମଧ୍ୟ ପ୍ରସ୍ତୁତ କରିଛି। ଆଦିତ୍ୟଙ୍କ ତିନି ସାଙ୍ଗଙ୍କୁ ଡାକି ଜେରା ମଧ୍ୟ କରିଛି।

ଅନ୍ୟପଟେ ଦୀର୍ଘ ୨୪ ଦିନ ହେବ ଜିଆରପି ମାମଲାର ତଦନ୍ତ କରୁଥିଲା। ୨୪ ଦିନ ଭିତରେ ଜିଆରପି ୨୪ ଜଣଙ୍କୁ ଜେରା କରିବା ସହ ୧୫୩ ପୃଷ୍ଠାର ଦସ୍ତାବିଜ୍‌ ପ୍ରସ୍ତୁତ କରିଥିଲା। ସିସିଟିଭି ଫୁଟେଜ୍‌ ସହ ଡାଏରି ଅନେକ ତଥ୍ୟ ପ୍ରମାଣ ମଧ୍ୟ ଯୋଗାଡ଼ କରିଥିଲା। ହେଲେ ଜିଆର୍‌ପିର ତଦନ୍ତ ଧିମେଇ ଯାଇଥିଲା। ଗତକାଲି ଜାତୀୟ ମାନବାଧିକାର କମିସନ (ଏନଏଚଆରସି) ରିପୋର୍ଟ ତଲବ କରିବା ପରେ ଆଜି ପୁଲିସ ଡିଜି ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ।

କ୍ରାଇମ୍‌ବ୍ରାଞ୍ଚ ଟାର୍ଗେଟ୍‌ରେ ଓଏଏସ୍‌ ଅଫିସର: କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଭାର ନେବା ପରେ ମାମଲାରେ ନୂଆ ମୋଡ଼ ଆସିବା ନେଇ ଚର୍ଚ୍ଚା ହେଉଛି। ଜିଆରପି ମାମଲାକୁ ଆତ୍ମହତ୍ୟା ଆଡ଼କୁ ନେଇ ଯାଇଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ଆଉ କିଛି ନୂଆ ଖବର ଦେବ କି? ମାମଲାକୁ ନେଇ ଚାଲିଥିବା ଆଲୋଚନା ଦିଗରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବ କି? ଏଭଳି ଅନେକ ଆଲୋଚନା ଏବେ ମାମଲାକୁ ରହସ୍ୟମୟ କରିଛି। ଏଭଳି ସ୍ଥିତିରେ ଜଣେ ଓଏଏସ ଅଫିସରଙ୍କ ନାମ ଚର୍ଚ୍ଚାକୁ ଆସୁଛି।

ବିଦ୍ୟାଶ୍ରୀ କଟକର ହୋଇଥିବା ବେଳେ ଆଦିତ୍ୟ ଭୁବନେଶ୍ବରରେ ରହୁଥିଲେ। କିଛି ଦିନର ପ୍ରେମ ପରେ ବିବାହ ହୋଇଥିଲା। ତାହା ପୁଣି ଲକ୍‌ଡାଉନ୍‌ ସମୟରେ। ଲକ୍ଷ ଲକ୍ଷ ଫ୍ୟାନ୍‌-ଫଲୋଅର ସହ ବନ୍ଧୁ-ସହଯୋଗୀ ଶୁଭେଚ୍ଛାକୁ ଉପେକ୍ଷା କରି କେନ୍ଦ୍ରପଡ଼ାର ପାଟକୁରା ଧାନମଣ୍ଡଳ ଭଗବାନପୁର ଗ୍ରାମର ସିଦ୍ଧେଶ୍ବର ମନ୍ଦିରରେ ବିବାହ କରିଥିଲେ ଆଦିତ୍ୟ। ଲକ୍‌ଡାଉନ୍‌ ଚାଲିଥିବାରୁ ମଣ୍ଡପ, ହୋଟେଲ, ମନ୍ଦିର ଓ ବାହାରେ ବିବାହ ପାଇଁ ସ୍ବୀକୃତି ନଥିଲା। ହେଲେ ଏହି ମନ୍ଦିରରେ କିଭଳି ହୋଇଥିଲା ବାହାଘର? ଏହି ବାହାଘର ପଛରେ ଜଣେ ଓଏଏସ୍‌ ଅଫିସରଙ୍କର ସହଯୋଗ ରହିଥିଲା। ବିଧିବଦ୍ଧ ଭାବରେ ସ୍ବୀକୃତି ନଥିଲେ ମଧ୍ୟ ଓଏଏସ୍‌ ଅଫିସର ଜଣକ ଏଠାକାର ସ୍ଥାନୀୟ ବାସିନ୍ଦା ହେବା ସହ ଏକ ଭଲ ପଦବିରେ ରହିଥିଲେ। ଏଣୁ ଏହି ବାହାଘର ଉପରେ ପୁଲିସର ନଜର ପଡ଼ିନଥିଲା। ତେବେ କ’ଣ ଏମିତି ହେଲା ଯେ ଏଭଳି ଲକ୍‌ଡାଉନ୍‌ରେ ତରବରରେ ବାହାଘର ହୋଇଥିଲା? ଓଏଏସ୍‌ ଅଫିସରଙ୍କର କ’ଣ ସମ୍ପର୍କ ଥିଲା ଯେ, ସେ ଏଭଳି ରିସ୍କ ନେଇଥିଲେ? ଅନ୍ୟ ସମସ୍ତ ଘଟଣାରେ ଜିଆରପି ଖୋଳତାଡ଼ କରିଥିଲେ ମଧ୍ୟ ଏହି ପ୍ରସଙ୍ଗକୁ ତଦନ୍ତ ପରିସରଭୁକ୍ତ କରିନଥିଲା।

Leave A Reply

Your email address will not be published.

18 − 12 =

error: Content is protected !!
Open chat